ବନ୍ଦ କରନ୍ତୁ

ଇତିହାସ

ଯାଜପୁରର ଐତିହ୍ୟ ଓ ସଂସ୍କୃତି ପ୍ରାଗ ଐତିହାସିକ କାଳର ମୁକସାକ୍ଷୀ ପ୍ରଦାନ କରେ । ଏହି ଜିଲ୍ଲାର ନାମ ହିଁ ଏହାର ସଂସ୍କୃତିର ଯଥାର୍ଥତା ପ୍ରତିପାଦନ କରେ । କେତେକ ବିଦ୍ଵାନ ଏହାକୁ ‘ଯଜ୍ଞପୁର‘ ଶବ୍ଦ ସହିତ ତୁଳନା କରିଥାନ୍ତି । ଆଉ କେତେକ ବିଦ୍ଵାନଙ୍କ ମତରେ ଯାଜପୁର ନାମ ଏହି ଅଞ୍ଚଳରେ ଗଢି ଉଠିଥିବା ଯଯାତିପୁର ଶାସନରୁ ଆନୀତ । କଥିତ ଅଛି ଯେ ମହାରାଜା ଯଯାତୀ ଯଯାତିପୁରକୁ ନିଜର ରାଜଧାନୀ ଭାବେ ଘୋଷିତ କରିଥିଲେ । ଏହି ସ୍ଥାନରେ ମହାରାଜ ଯଯାତୀ ଏକ ମହାନ ଦଶାଶ୍ଵମେଧ ଯଜ୍ଞ ଆୟୋଜନ କରିଥିବାର କିମ୍ବଦନ୍ତୀ ରହିଛି । ସେ ହିଁ ଉତ୍ତର ଭାରତରୁ ୧୦୦୦୦ ବ୍ରାହ୍ମଣଙ୍କୁ ଆଣି ଏହି ମାଟିରେ ଅବସ୍ଥାପିତ କରିଥିଲେ ।

ଏହି ଘଟଣାର ବହୁପୂର୍ବରୁ ମଧ୍ୟ ଯାଜପୁର ପ୍ରାଚୀନ ଭାରତୀୟ ଧର୍ମଗ୍ରନ୍ଥ ଓ ପୁରାଣରେ ବିରଜା ଏବଂ ବୈତରଣୀ ତୀର୍ଥ ରୂପେ ପରିଚିତ ଥିଲା ଯାହାକି, ଭାରତର କେତେଗୁଡିଏ ପ୍ରମୁଖ ତୀର୍ଥରୁ ଏକ ପୁଣ୍ୟତୀର୍ଥ ଭାବରେ ପରିଗଣିତ ହେଉଥିଲା । କପିଳସଂହିତା , ବ୍ରହ୍ମାନନ୍ଦ ପୁରାଣ, ବାୟୁପୁରାଣ, ବ୍ରହ୍ମାପୁରାଣ, ତନ୍ତ୍ରଚିନ୍ତାମଣି, ଅଷ୍ଟପୀଠ ମାହାତ୍ମ୍ୟ ଓ ଚୈତନ୍ୟ ଚରିତାମୃତରେ ମଧ୍ୟ ଯାଜପୁର ସମ୍ବନ୍ଧରେ ବର୍ଣିତ ଅଛି । ହିନ୍ଦୁ ମାନଙ୍କ ପାଇଁ ଏହି ସ୍ଥାନର ଗୁରୁତ୍ଵ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ଅଟେ, କାରଣ ଏହି ଶକ୍ତିପୀଠମାନଙ୍କ ମଧ୍ୟରୁ ଅନ୍ୟତମ ଯେଉଁଠାରେ କି ଭଗବାନ ବିଷ୍ଣୁଙ୍କ ଦ୍ଵାରା ଚକ୍ରାଘାତ ହୋଇ ମହାକାଳ ଶିବଙ୍କର ପ୍ରିୟତମା ପତ୍ନୀ ସତୀଙ୍କର ମରୁତ ଶରୀର ଭୁପତିତ ହୋଇଥିଲା । ତେଣୁ କେତେକ ସ୍ଥଳରେ ଯାଜପୁର ପାର୍ବତୀ ତୀର୍ଥ ଭାବରେ ମଧ୍ୟ ଜଣାଶୁଣା ଅଟେ । ମହାଭାରତରେ ବର୍ଣ୍ଣିତ ଅଛି ଯେ, ବୈତରଣୀ ତୀରରେ ବିରାଜଙ୍କଠାରେ ପଞ୍ଚୁପାଣ୍ଡବ ମହର୍ଷି ଲୋମଶଙ୍କ ସହ ପବିତ୍ର ବୁଡ ପକାଇଥିଲେ । ମାତ୍ର ଏହି ସ୍ଥାନର ଐତିହାସିକ ବିବରଣୀ ସପ୍ତମ ଶତାଦ୍ଦୀ ପରେ ଭୌମକରମାନଙ୍କର ବିରଜା ନିକଟବର୍ତୀ ରାଜଧାନୀ ଗୁହେଶ୍ଵର ପାଟକରେ ଶାସନପରେ ହିଁ ମିଳିପାରିଥାଏ ।

ପ୍ରାଚୀନକାଳରେ ଯାଜପୁର ବୌଦ୍ଧ ଜୈନଧର୍ମର ଉତ୍ପତିସ୍ଥଳ ରୂପେ ବିବେଚିତ ହେଉଥିଲା । ୬୩୯ ଖ୍ରୀଷ୍ଟାଦ୍ଦର ହୁଏନସ।ଙ୍କର ବିବରଣୀରୁ ଯାଜପୁର ସହରରେ ପୁଷ୍ପଗିରି ବିହାରର ଅବସ୍ଥିତି ବିଷୟରେ ସମ୍ୟକ ସୂଚନା ମିଳେ । ଅଷ୍ଟମ ଶତାଦ୍ଦିରେ ତନ୍ତ୍ରଯାନ ଏହି ମାଟିରେ ବୌଦ୍ଧଧର୍ମର ଅଭ୍ୟୁଦୟ ସମ୍ପର୍କରେ ଧାରଣା ଦେଇଥାଏ । କୁବଜା ତନ୍ତ୍ର ମା ବିରଜାଙ୍କୁ ଉଡିୟାନର ମାହେଶ୍ଵରୀ ରୂପେ ବର୍ଣ୍ଣିତ କରିଛି ।

ଗୁପ୍ତ ସାମ୍ରାଜ୍ୟର ଉତଥାନ ସହିତ ଭାରତ ତଥା ଓଡିଶାର ବ୍ରାହ୍ମଣମାନଙ୍କର ପୁନଃ ଅଭ୍ୟୁଦୟ ଘଟିଥିଲା । ରାଜକୀୟ ପରିବାରର ବଂଶଜମାନେ ବନାରସ ଓ ଅନ୍ୟ ଉତ୍ତର ଭାରତ ସହର ରୁ ବ୍ରାହ୍ମଣମାନଙ୍କୁ ଆଣି ନିଜ ରାଜ୍ୟରେ ପ୍ରତିଷ୍ଠିତ କରାଉଥିଲେ । ସେହିପରି ରାଜାମାନେ ମଧ୍ୟ ବିଶାଳ ଯଜ୍ଞସମୂହର ଆୟୋଜନ କରି ନିଜର ସାମର୍ଥ୍ୟ ଓ କୀର୍ତ୍ତିର ଧ୍ଵଜା ଉଡାଇବାକୁ ଚାହୁଁଥିଲେ । ସମ୍ଭବତଃ ମହାରାଜା ଯଯାତି ମଧ୍ୟ ବ୍ରାହ୍ମଣମାନଙ୍କର ପୌରହିତ୍ୟରେ ବୈତରଣୀ ନଦୀକୂଳରେ ଦଶାଶ୍ବମେଧ ଯଜ୍ଞର ଆୟୋଜନ କରିଥିଲେ । ବାସ୍ତବ ରୂପରେ ସେ ଏହି ନଦୀ କୂଳରେ ଅନେକ ଗୁଡିଏ ଯଜ୍ଞ ସମାପନ କରିଥିଲେ ।

ବିରଜାକ୍ଷେତ୍ର ଏକ ତ୍ରିକୋଣୀୟ କ୍ଷେତ୍ର । ପ୍ରତ୍ୟେକ କୋଣରେ ସମାନ ଦୂରତାରେ ଆମେ ଏକ ଶୈବପିଠ ଦେଖିବାକୁ ପାଉ । ଏଗୁଡିକ ହେଉଛନ୍ତି ବିଲେଶ୍ଵର ,ଖିଲଟାଟେଶ୍ଵର ଓ ବରୁଣେଶ୍ଵର । ମାଦଳାପାଞ୍ଜିରୁ ପ୍ରାପ୍ତ ପ୍ରମାଣ ହିସାବରେ ପ୍ରଥମ ଦୁଇଟି ମନ୍ଦିର ରାଜା ଅନଙ୍ଗଭୀମଦେବଙ୍କ ପାଖରୁ ଅନେକ ଜମି ଦାନ ହିସାବରେ ପ୍ରାପ୍ତ ହୋଇଥିଲା । ମନ୍ଦିରର ସ୍ଥାପତ୍ୟ ଓ ଭାସ୍କର୍ଜ୍ୟରେ ପ୍ରାଚୀନ ବୌଦ୍ଧ ଓ ଜୈନ ମୂର୍ତ୍ତି ସମୂହର ସୁନ୍ଦର ପରିପ୍ରକାଶ ଦେଖିବାକୁ ମିଳେ । ବ୍ରହ୍ମପୁରାଣ ହିସାବରେ ଯାଜପୁରରେ କୋଟିଏରୁ ଗୋଟିଏ କମ ଶିବଲିଙ୍ଗ ଦେଖିବାକୁ ମିଳେ ଯାହାକି ଏହି ସ୍ଥାନର ଧାର୍ମିକ ମହତ୍ଵକୁ ପ୍ରତିପାଦନ କରେ ।

ଗଙ୍ଗ ବଂଶର ରାଜା ଅନଙ୍ଗଭୀମଦେବଙ୍କ ଦ୍ଵାରା ପୁରୀ ଜଗନ୍ନାଥ ମନ୍ଦିରର ଅନୁକରଣରେ ଯାଜପୁରରେ ମଧ୍ୟ ଏକ ଜଗନ୍ନାଥ ମନ୍ଦିରର ନିର୍ମାଣ କରଯାଇଥିଲା । ମାତ୍ର ମୁସଲିମ ଆକ୍ରମଣକାରୀଙ୍କ ଆକ୍ରମଣରେ ଏହା ଧ୍ଵଂସ ହୋଇ ଯାଇଥିଲା ।

ଦଶାଶ୍ଵମେଧ ଘାଟ ନିକଟେରେ ଚାମୁଣ୍ଡା, ବରାହୀ, ଇନ୍ଦ୍ରାଣୀ ,ବୈଷ୍ଣବୀ ,ଶିବଦୁତୀ, କୌମାରୀ ଓ ମାହେଶ୍ଵରୀ ଆଦି ସପ୍ତମାତୃକାଙ୍କର ପ୍ରତିମା ଶୋଭା ପାଉଛି । ସେମାନେ ନିଜ ନିଜର ବାହନ ଉପରେ ଏକ ପଦ୍ମ ଫୁଲର ବେଦି ଉପରେ ବିରାଜମାନ ଅଛନ୍ତି ।

ମୁସଲମାନମାନଙ୍କର ଘନଘନ ଆକ୍ରମଣରେ ଯାଜପୁରର ଗୌରବମୟ ସ୍ଥାପତ୍ୟ ପରବର୍ତ୍ତୀ କାଳରେ ନଷ୍ଟଭ୍ରଷ୍ଟ ହୋଇଯାଇଥିଲା । ଏହି ମାଟି ଅନେକଗୁଡିଏ ରାଜନୈତିକ ଯୁଦ୍ଧର ମୁକସାକ୍ଷୀ ମଧ୍ୟ । ଏକ ପ୍ରମୁଖ ଯୁଦ୍ଧ ଯାହା ଓଡିଶା ଇତିହାସର ମୋଡ ପରିବର୍ତ୍ତନ କରିଦେଇଥିଲା ଓ ଆଫଗାନମାନଙ୍କ ହାତକୁ ଶାସନର ଡୋର ଚାଲିଯାଇଥିଲା ତାହା ଯାଜପୁର ନିକଟସ୍ଥ ଗୋହିରାଟିକିରୀ ଠାରେ ରାଜା ମୁକୁନ୍ଦଦେବ ହରିଶ୍ଚନ୍ଦନ ଓ ରାମଚନ୍ଦ୍ର ଭଞ୍ଜଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ବହୁତ କମ ଲୋକ ଜାଣନ୍ତି ଯେ ଜାତୀୟ ଗୀତର ରଚୟିତା ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଯାଜପୁରରେ ୧୮୮୨ ରୁ ୧୮୮୪ ପର୍ଯ୍ୟନ୍ତ ଡେପୁଟି ମାଜିଷ୍ଟ୍ରେଟ ରୂପେ କାର୍ଯ୍ୟରତ ଥିଲେ । ବଙ୍କିମଚନ୍ଦ୍ର ତାଙ୍କର ତିନି ଦଶନ୍ଧି ଦୀର୍ଘ ଚାକିରିକାଳ ମଧ୍ୟରେ ଦୁଇ ବର୍ଷ ଯାଜପୁର ରେ ଅତିବାହିତ କରିଥିଲେ କାରଣ ସେତେବେଳେ ଓଡିଶା ବଙ୍ଗଳାଧୀନ ଥିଲା । ସେ ୧୮୫୯ ରେ ଡେପୁଟି ମାଜିଷ୍ଟ୍ରେଟ ଭାବରେ ଯୋଗ ଦେଇଥିଲେ ଓ ୧୮୯୧ରେ ଅବସର ଗ୍ରହଣ କରିଥିଲେ । ଯାଜପୁର ୧୮୫୯ ରେ ଏକ ସବ-ଡିଭିଜନର ମାନ୍ୟତା ପାଇଥିଲା ।ଏହି ପ୍ରଥିତଯଶା ଲେଖକ ତାଙ୍କର ସରକାରୀ କାର୍ଯ୍ୟ।ଳୟର ପାର୍ଶ୍ଵରେ ପ୍ରବାହିତ ତଟଦେଶର ସୌମ୍ୟତା ଓ ସ୍ନିଗଧତାକୁ ଲେଖାରେ ପ୍ରକାଶ କରିଥିଲେ ଏବଂ ଏକ ସତ୍ୟ କାହାଣୀ ଉପରେ ଆଧାରିତ ‘ଦେବୀ ଚୌଧାରିଣୀ ‘ ଗଳ୍ପର ସର୍ଜନା କରିଥିଲେ । ଏହା ୧୮୮୪ ମସିହାରେ ପ୍ରକାଶିତ ହୋଇଥିଲା ।

ପୂର୍ବରୁ ଯାଜପୁର ଅବିଭକ୍ତ କଟକ ଜିଲ୍ଲାର ଏକ ଅଂଶ ଥିଲା । ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ଏହା ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରାପ୍ତ ହେଲା । ଏହି ଜିଲ୍ଲାଟି ୧୦ ଟି ବ୍ଲକ ,୧୦ ଟି ତହସିଲ ,୩୧୧ ଟି ଗ୍ରାମ ପଞ୍ଚାୟତ ଓ ୪୨୮୬ ଟି ୱାର୍ଡ କୁ ନେଇ ଗଠିତ । ବର୍ତ୍ତମାନ ଯାଜପୁର ଦେଶର ଅଗ୍ରୀଣତମ ଷ୍ଟିଲ ଉତ୍ପାଦନକାରୀ କ୍ଷେତ୍ର ଭାବରେ ପରିଚୟ ସୃଷ୍ଟି କରିଛି ଏବଂ ଅନ୍ୟ କେତେକ ଶିଳ୍ପାଞ୍ଚଳ ଏହି ସମୃଦ୍ଧ ଶିଳ୍ପାୟନ ମାନଚିତ୍ରରେ ସ୍ଥାନ ପାଇବା ପାଇଁ ପ୍ରଚେଷ୍ଟାରତ ଅଛନ୍ତି ।

ଏକ ପଟରେ ଉର୍ବର ମୃତ୍ତିକାର ସମ୍ଭାର ଓ ଅନ୍ୟପଟେ ଖଣିଜ ସମ୍ପଦର ପ୍ରଚୁର୍ଜ୍ୟତା । ଯାଜପୁର ମଧ୍ୟ ପାଲଟିଛି ଅନେକ ଧର୍ମର ସମନ୍ଵୟ ସ୍ଥଳୀ । ଶାନ୍ତି, ସମତା ,ମୈତ୍ରୀ ଓ ଭାତୃତ୍ଵର ଜୈତ୍ରବାନା ଉଡାଇ ଯାଜପୁର ପାଲଟିଛି ଧାର୍ମିକ ବିଶ୍ଵାସ ଓ ସଦଭାବନାର କେନ୍ଦ୍ରସ୍ଥଳୀ ।

୨୦୧୦ ମସିହାରୁ ଯାଜପୁର ଆୟୋଜନ କରିଆସୁଛି ଏହାର ବର୍ଣ୍ଣାଢ୍ୟ ଜିଲ୍ଲା ମହୋତ୍ସବ । ଏହି ଅବସରରେ ଏକ ଶିକ୍ଷଣୀୟ ଓ ବହୁବର୍ଣ୍ଣା ପତ୍ରିକା ‘ଯଯାତି’ ମହୋତ୍ସବର ସ୍ମାରକ ଭାବରେ ପ୍ରକାଶିତ ହୋଇଆସୁଅଛି ।