ବନ୍ଦ କରନ୍ତୁ

ହସ୍ତଶିଳ୍ପ

ପ୍ରାକ – ସ୍ଵାଧୀନତା କାଳରେ ଗୋପବନ୍ଧୁ ଚୌଧରୀ ଓ ରମାଦେବୀଙ୍କ ଦ୍ଵାରା ପ୍ରତିଷ୍ଠିତ ସେବା ଘର ଆଶ୍ରମ ମାଧ୍ୟମରେ ଅରଟ କେନ୍ଦ୍ର ,ଚମଡା ପ୍ରସେସିଂ ,ମହୁଚାଷ ଭଳି ଅନେକ କୁଟୀରଶିଳ୍ପ ପ୍ରସାର ଲାଭ କରିଥିଲା । ରାମଚନ୍ଦ୍ରପୁର ଠାରେ ସ୍ଥାପିତ ହୋଇଥିବା ସୂତା ଓ ଅରଟ କେନ୍ଦ୍ରର ଦେଶୀ ସୂତା ଓଡିଶାର ବିଭିନ୍ନ ଖଦି ଓ ଗ୍ରାମୋଦ୍ୟୋଗ ପ୍ରତିଷ୍ଠାନରେ ବ୍ୟବହୃତ ହେଉଥିଲା । ବରୀ ,ବାଲିଆପାଳ ,ଧାରପୁର ,ଅରଙ୍ଗାବାଦ ,କିମ୍ଭୀରିଆପାଳ , ବାଇଁଶ୍ରୀଆ,ମାଳଦା ,ଗୋବିନ୍ଦବାଟି ଗ୍ରାମରେ ପ୍ରସ୍ତୁତ ହସ୍ତତନ୍ତ ବସ୍ତ୍ର ଜିଲ୍ଲାର ସର୍ବତ୍ର ଆଦର ଲାଭ କରିଥିଲା । ରାମଚନ୍ଦ୍ରପୁର ଖଦିବସ୍ତ୍ର ଉତ୍ପାଦନ କେନ୍ଦ୍ରରେ ଖଦି ଲୁଗା ,ଚାଦର ,ଜାମାକପଡା ଇତ୍ୟାଦି ତିଆରି ହୋଇ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ପୂରଣ ହେବ ସହିତ ଓଡିଶାର ବିଭିନ୍ନ ସ୍ଥାନକୁ ମଧ୍ୟ ପ୍ରେରଣ କରାଯାଉଥିଲା । ଏହି କେନ୍ଦ୍ର ଜରିଆରେ ରମ୍ପା ,ଅଟିରା ,କାଇପଡା ,ହଳଦୀବସନ୍ତ ,ଗମୁ,କୃଷ୍ଣନଗର ,ରଇପୁର ,ଭଁଅରା ,ଅଣିକଣା ,ଧାରପୁର ଇତ୍ୟାଦି ଗ୍ରାମରେ ସୂତାକଟା ଓ ଖାଦିବୁଣା କେନ୍ଦ୍ର ପ୍ରତିଷ୍ଠା କରଯାଇଥିଲା । ଛତିଶଦେବିଲ ଠାରେ ବୁଣାକାର ମାନେ ଲୁଙ୍ଗି,ଗାମୁଛା ଚାଦର ଇତ୍ୟାଦି ପ୍ରସ୍ତୁତ କରି ଯାଜପୁର ବିରଜାହାଟ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ରୟ କରୁଥିଲେ । ଛତିଶଦେବିଲ ବୁଣାକାର ସଂଘଟି ଏବେ ମଧ୍ୟ ହସ୍ତତନ୍ତ ବସ୍ତ୍ର ଉତ୍ପାଦନ କ୍ଷେତ୍ରରେ ସକ୍ରିୟ ଭୂମିକା ନିର୍ବାହ କରୁଛି । ଯାଜପୁର ବ୍ଲକ ଅଧିନସ୍ଥ ମାର୍କଣ୍ଡପୁର ,ଜାଲପୁର ,ସୁଧଗୋବିନ୍ଦା ,ବଡସୁଆର ,ସାନସୁଆର ,କପାସି ,କପିଳା ଇତ୍ୟାଦି ଗ୍ରାମରେ ବୁଣାକାର ସଂଘ ପ୍ରତିଷ୍ଠା କରାଯାଇ ବସ୍ତ୍ର ଉତ୍ପାଦନ ପ୍ରକ୍ରିୟା ଚାଲୁରହିଥିଲା । କୋରେଇ ବ୍ଲକର ଜହ୍ନା ପଞ୍ଚାୟତରେ ଜହ୍ନା ତନ୍ତୁବାୟ ସହଯୋଗ ସମିତି ଲିମିଟେଡ 1973 ମସିହାରେ ସ୍ଥାପିତ ହୋଇଥିଲ । ବିଭିନ୍ନ ଗ୍ରାମରୁ ପ୍ରାୟ 400 ବୁଣାକାର ଏହି ସମିତିର ସଭ୍ୟ ତାଲିକାଭୁକ୍ତ ହୋଇଛନ୍ତି । ଧର୍ମଶାଳା ଥାନାର ବୁଣାକାରବହୁଳ ଗ୍ରାମ ଗୋପାଳପୁରର ବୁଣାକରମାନେ ନିଜର ଜୀବିକା ନିର୍ବାହ ପାଇଁ ପାଟ ,ମଠା ,ଟସର ଓ ସୁତାର ବିଭିନ୍ନ କିସମର ଧୋତି ,ଶାଢୀ ଚାଦର ,ସ୍କାର୍ଫ ,ସୁଟିଙ୍ଗ କପଡା ଓ ବେଦେଶ କୁ ରପ୍ତାନି ଯୋଗ୍ୟ ଟସର ୱାଲକ୍ଳଥ ଇତ୍ୟାଦି ବୁଣାବୁଣି କରନ୍ତି । ଏଠାରୁ ଟସର ଥାନ ବିହାରର ଭାଗଲପୁର ,ମଧ୍ୟପ୍ରଦେଶର ଚାମ୍ପା ଓ ପଶ୍ଚିମବଙ୍ଗର କଲିକତା କୁ ଯାଇ ସେଠାରୁ ସେସବୁ ବିଦେଶକୁ ରପ୍ତାନି କରାଯାଉଛି ।1964 ମସିହା ପରେ ଜିଲ୍ଲାର କାର୍ଯ୍ୟକ୍ଷମ ବିଭିନ୍ନ ସମବାୟ ସମିତି ଜରିଆରେ ବୁଣାକାରମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ସରକାର ଯେଉଁ ଯୋଜନା ପ୍ରଣୟନ କରିଥିଲେ ତାହା ଏଯାବତ ପାଞ୍ଚଦଶନ୍ଧି ପରେ ମଧ୍ୟ ଆଖି ଦୃଶିଆ ସଫଳତା ଲାଭ କରିପାରି ନାହିଁ ।

ପ୍ରାକ – ସ୍ଵାଧୀନତା କାଳରେ ବରୀ ,ଠାକୁରପାଟଣା ,ବାଲିଆପାଳ ,ଅରୁଆଳ ,ମହମ୍ମଦପୁର ,ଚନ୍ଦନପୁର ,ହରିପୁର ,ଗହପାଳ ଗ୍ରାମରେ ପ୍ରସ୍ତୁତ ହେଉଥିବା ସୁନାରୂପା ତାରକସି କାମର ଶିଳ୍ପଜାତ ସାମଗ୍ରୀ କେବଳ ଆମ ରାଜ୍ୟରେ ନୁହେଁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ମଧ୍ୟ ଯଥେଷ୍ଟ ଆଦର ଲାଭ କରିଥିଲା ।
ରତ୍ନଗିରୀ ,ଅଲିଆବାଦ ଓ ସନ୍ନିକଟ ଗ୍ରାମମାନଙ୍କରେ ପ୍ରସ୍ତର ଶିଳ୍ପୀମାନେ କଳାମୁଗୁନି ପଥର ,ଈଷତ ଲାଲ ଓ ମାଟିଆ ପଥର ମାର୍ବଲରେ ନିର୍ମାଣ କରୁଥିଲେ ପଦ୍ମଫୁଲ ,କୁରୁକ୍ଷେତ୍ର ଯୁଧ୍ୟର ବିଭିନ୍ନ ଦୃଶ୍ୟ ,ରାଜା ମହାରାଜା ମହାପୁରୁଷଙ୍କ ମୂର୍ତି ,ଅଶୋକ ଚକ୍ର ଇତ୍ୟାଦି ।ସମ୍ପ୍ରତି ଚଣ୍ଡିଖୋଲ-ପାରାଦୀପ ତ୍ଵରିତ ରାଜପଥ ପାର୍ଶ୍ଵସ୍ଥ ପଞ୍ଚୁପାଣ୍ଡବ ,ବାଲିଚନ୍ଦ୍ରପୁର ,ବନ୍ଦରେଶ୍ଵର ଅଞ୍ଚଳରେ ପ୍ରସ୍ତରଶିଳ୍ପୀମାନେ ଏପରି ଅନେକ ବିରଳ ମୂର୍ତି ନିର୍ମାଣରେ ନିମଜ୍ଜିତ ।ବଡଚଣା ବ୍ଲକ ବିକ୍ରମତିରଣ ପଞ୍ଚାୟତର ଶୁଖୁଆପଡା ଗ୍ରାମର ପ୍ରାୟ ଏକଶହ ମହାରଣା ପରିବାର ଦୀର୍ଘ ଦୁଇଶହ ବର୍ଷ ହେଲା ପଥରରେ ବିଭିନ୍ନ ମୂର୍ତ୍ତି ତିଆରି କରିଆସୁଛନ୍ତି । ଏପରିକି ଗ୍ରାମର ଆଦିବାସୀ ଓ ଦଳିତ ପରିବାରର ଲୋକମାନେ ମଧ୍ୟ ପଥର ମୂର୍ତ୍ତି ନିର୍ମାଣରେ ମନୋନିବେଶ କରିଛନ୍ତି ।ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପ୍ରାପ୍ତି ଶିଳ୍ପୀ ରଞ୍ଜନ ମହାରଣା ଏହି ଗ୍ରାମର ଅଧିବାସୀ । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରସ୍ତରଶିଳ୍ପୀ ମହେଶ୍ଵର ଓଝା ,ଦିଲ୍ଲୀରେ ସ୍କ୍ବାଡ ଅଫ ଅନର ସମ୍ମାନରେ ଭୂଷିତ କଣ୍ଟିଗଡିଆ ଗ୍ରାମର ଶିଳ୍ପୀ ସତ୍ୟାନନ୍ଦ ମହାରଣା ଯାଜପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି କହିଲେ ଯଥାର୍ଥ ହେବ ।

ଧର୍ମଶାଳାର କୁଣ୍ଡପାଟଣା ,ନରସିଂହପୁର ଗ୍ରାମର କଂସାପିତ୍ତଳ ବାସନ କାରିଗର ,କମାଗଡର କାଇଁଚ କାରିଗରମାନଙ୍କ କୃତି ସାରା ରାଜ୍ୟରେ ସୁବିଦିତ ।
ଧର୍ମଶାଳାର ପାଟପୁର ବଡବାରିସାହି ଗ୍ରାମର ଭାସ୍କର ପରମାନନ୍ଦ ସାହୁ ମୃଣ୍ମୟ ମୂର୍ତ୍ତି ନିର୍ମାରେ ସାରା ରାଜ୍ୟରେ ପ୍ରଖ୍ୟାତ । ତାଙ୍କର ପୁତ୍ର ଲଳିତକଳାର ଡିଗ୍ରୀ ପ୍ରାପ୍ତ ଚିତ୍ରକର ଦୁର୍ଗାଚରଣ ସାହୁ କେବଳ ଚିତ୍ର ପାଇଁ ନୁହେଁ ଭାସ୍କର୍ଜ୍ୟ ନିର୍ମାଣ ପାଇଁ ସମଗ୍ର ଦେଶରେ ସୁନାମ ଧନ୍ୟ ।ତାଙ୍କ ନିର୍ମିତ ଗୋପବନ୍ଧୁ ଦାସ ,ହରେକୃଷ୍ଣ ମହତାବ ,ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଓଡିଶାର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ହୋଇଛି । ଧର୍ମଶାଳା ଖଣ୍ଡିତର ଗ୍ରାମର ଶିଳ୍ପୀ ବାବନ ଚରଣ ସାହୁ ବାରୁଆଳି ମାଧ୍ୟମରେ ନିଜର କଳନାୟପୁଣ୍ୟ ପ୍ରଦର୍ଶନ କରି ମହାଭାରତୀୟ ସଂସ୍କୃତି ,ଐତିହ କୁ ଉଜ୍ଜୀବିତ କରିପାରିଛନ୍ତି । କୋରେଇ ବାରଦାର ମୃଣ୍ମୟଶିଳ୍ପୀ ଭକ୍ତଚରଣ ପଟ୍ଟନାୟକଙ୍କ ପ୍ରେରଣା ଲାଭ କରି କଲିକତାର କୁମାଟୋଲିରେ ମୂର୍ତ୍ତି ନିରମାନର ପ୍ରଶିକ୍ଷଣ ନେଇ ସେ ନିଜ ପ୍ରତିଷ୍ଠିତ କଳାକୁଞ୍ଜର ନୀମ ‘ନନ୍ଦନକାନନ କଳାଭବନ’ ରଖିଛନ୍ତି ଓ କେବଳ ଓଡିଶାରେ ନୁହେଁ ଭାରତର ବିଭିନ୍ନ ସ୍ଥାନରେ ବାରୁଆଳି ମାଧ୍ୟମରେ ବାଙ୍କି ରାଣୀ ଶୁକଦେଇ ପ୍ରସଙ୍ଗ ,ଖୋର୍ଦ୍ଦାର ପାଇକ ସମର ,ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଲୀଳା ପ୍ରସଙ୍ଗ ,ଜାଲିଆନାବାଗ ନରସଂହାର ,ରାଜା ହରିଶଚନ୍ଦ୍ର ,ଦୁଷ୍ମନ୍ତ ଶକୁନ୍ତଳା ,ଯଶୋଦା ଦଧିମନ୍ଥନ ,ସିତାଙ୍କ ପାତଳ ଗମନ ,ମହାତ୍ମା ଗାନ୍ଧୀଙ୍କ ସାବରମତି ଆଶ୍ରମରେ ଅରଟରେ ସୂତାକଟା ,ଛତ୍ରପତି ଶିବାଜୀଙ୍କ ଜୀବନ ଚରିତ ଓ ଆହୁରି ଅନେକ ପୌରାଣିକ ଆଖ୍ୟାୟିକା ,ଐତିହାସିକ ଘଟଣା ,ସାଂପ୍ରତିକ ସମସ୍ୟାମୂଳକ ପ୍ରସଙ୍ଗକୁ ପ୍ରଦର୍ଶନ କରି ଜନସାଧାରଣ ଓ ବିଶେଷ କରି ବିଶିଷ୍ଟ ବ୍ୟକ୍ତି ସାରଦା ମୁଖାର୍ଜୀ ,ନରସିଂହ ରାଓ ,ସୁନୀଲ ଶାସ୍ତ୍ରୀ ,କେ . ବସନ୍ତ ନାଇଡୁ ,ରଙ୍ଗନାଥ ମିଶ୍ର ,ଜ୍ଞାନୀ ଜୈଲ ସିଂହ ,ମୋହନଲାଲ ସୁଖଡିଆ ପ୍ରମୁଖଙ୍କ ଦ୍ଵାରା ପ୍ରଶଂସିତ ଓ ପୁରସ୍କୃତ ହୋଇଛନ୍ତି ।